ନିର୍ଭୟ , ୫/୩ , ସନାତନ ଦଳବେହେରା – କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ , କହିଲେ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା କଂଗ୍ରେସ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆଜି ଦେଶରେ ଅନେକ ବିକାଶ କାର୍ଯ୍ୟ ହେଉଛି। ଏହା ପୂର୍ବରୁ ବି ହୋଇପାରିଥା’ନ୍ତା। କିନ୍ତୁ ୨୦୧୪ ପୂର୍ବରୁ ବର୍ଷ ବର୍ଷ ଧରି ସରକାରରେ ଥିବା କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକର ପୂରା ଧ୍ୟାନ କେବଳ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା। ଯେଉଁ କଂଗ୍ରେସ ସରକାର କୋଇଲାକୁ ଲୁଟି ଖାଇଯାଏ, ସେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦେବା କଥା କେମିତି ଚିନ୍ତା କରିପାରିବ।
ଯେଉଁ କଂଗ୍ରେସ ସରକାର ୟୁରିଆରେ ଘୋଟାଲା କରେ, ସେ କୃଷକମାନଙ୍କୁ ଶସ୍ତାରେ ୟୁରିଆ କେମିତି ଯୋଗାଇଥା’ନ୍ତା। ଯେଉଁ କଂଗ୍ରେସ ସରକାର ନିଯୁକ୍ତିରେ ବି ଘୋଟାଲା କରେ, ସେ ଦେଶର ଯୁବକଯୁବତୀମାନଙ୍କୁ କେମିତି ଚାକିରି ଦେଇଥା’ନ୍ତା। ଗରିବମାନେ କଂଗ୍ରେସ ସରକାର ପାଖକୁ ଯେକୌଣସି ପ୍ରକାର ସହାୟତା ପାଇଁ ଗଲେ, ସେମାନଙ୍କୁ ଗ୍ୟାରେଣ୍ଟି ମଗା ଯାଉଥିଲା। ସେତେବେଳେ ସମସ୍ତଙ୍କୁ ଗ୍ୟାରେଣ୍ଟି ମଗାଯାଉଥିଲା। ବ୍ୟାଙ୍କରେ ଖାତା ଖୋଲିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ମାଗୁଥିଲା। ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ମାଗିବାକୁ ଗଲେ ଗ୍ୟାରେଣ୍ଟି ମାଗୁଥିଲା କଂଗ୍ରେସ। ଚାକିରି ପାଇଁ ଆବେଦନ କଲେ କୌଣସି ଅଫିସରଙ୍କ ଠାରୁ ଗ୍ୟାରେଣ୍ଟି ଆଣ ବୋଲି କୁହାଯାଉଥିଲା। କିନ୍ତୁ ୨୦୧୪ ପରେ ଜଣେ ଗରିବ ଲୋକର ପୁଅ କେନ୍ଦ୍ର ସରକାରକୁ ଆସିଲା। ଆଉ ଯେତେବେଳେ ଜଣେ ଗରିବର ପୁଅ ପ୍ରଧାନମନ୍ତ୍ରୀ ହୋଇଗଲା, ସେ କହିଲା- ମୋଦି ହେବ ଗରିବର ସବୁଠୁ ବଡ଼ ଗ୍ୟାରେଣ୍ଟି।